33.1 C
Bhubaneswar
April 29, 2024
Purana

ଓଡ଼ିଆ ସମ୍ପୂର୍ଣ ଭାଗବତ ସାର | Bhagabata Sara

ଓଡ଼ିଆ ସମ୍ପୂର୍ଣ ଭାଗବତ ସାର (Bhagabata Sara)

ଓଡ଼ିଆ ଭାଗବତ : ଧର୍ମପ୍ରିୟ ଓଡ଼ିଆଙ୍କ ମାନସପଟରେ ଶ୍ରୀ ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ ଥିଲା ଅନନ୍ୟ । ଯିଏ ଓଡିଆଙ୍କ ହୃଦୟରେ ଚିରସ୍ମରଣୀୟ, ସଦାପୂଜନୀୟ, ଓଡ଼ିଆର ପ୍ରାଣ ଆଉ ସ୍ପନ୍ଦନରେ “ପ୍ରିୟକବି” ଭାବରେ ପରିଚିତ । ଯାହାଙ୍କ କୃତ ସେହି ସମୟରେ ଗ୍ରାମେ ଗ୍ରାମେ ଭାଗବତ ପାଠ, ‘ଭାଗବତ ଟୁଙ୍ଗୀ’, ‘ଭାଗବତ ଜନ୍ମ’, ‘ଭାଗବତ ଗାଦି’, ‘ଭାଗବତ ସପ୍ତାହ’ ‘ଭାଗବତ ମେଳଣ’ ଆଦି ରୂପରେ ଜନ୍ମ ନେଲା । ତାଙ୍କର କିଛି ଶ୍ଳୋକ ଓଡ଼ିଆଙ୍କ ଅତି ପ୍ରିୟ, ଯାହାକି ଓଡ଼ିଶାର ପ୍ରତେକ ସ୍ବାକ୍ଷର ଓ ନିରକ୍ଷର ଜନମୁଖରେ ପ୍ରଚଳିତ। ଯଥା :

ନମଇଁ ନୃସିଂହ ଚରଣ ।
ଅନାଦି ପରମ କାରଣ ॥
ସକଳ ବେଦ ହୋଇ ବୃକ୍ଷେ ।
ଫଳ ଫଳିଲେ ଅନ୍ତରୀକ୍ଷେ ॥

“ଅମୃତ ବିନୟ ବଚନ,
କହି ତୋଷିବ ପ୍ରାଣୀମନ”

“ବୁଦ୍ଧି, ବିବେକ ଜ୍ଞାନ ବଳେ,
ମରଣ ଜିଣିପାରେ ହେଳେ”

“ପ୍ରାଣୀକି ନ କରିବ ଭିନ୍ନ,
ଦେଖିବ ସକଳ ସମାନ”

“ସତ୍ୟ, ଅହିଂସା, ଦୟା, କ୍ଷମା,
ଏସବୁ ବିଷ୍ଣୁଙ୍କ ମହିମା”

ଧନ ଅର୍ଜନେ ଧର୍ମ କରି ।
ଧର୍ମେ ପ୍ରାପତ ନରହରି ॥
ଈଶ୍ୱର ବସେ ସର୍ବଦେହେ ।
ଏ ଘେନି ନମିବ ନିର୍ଭୟେ ॥
ସର୍ବ ଶରୀର ମଧ୍ୟେ ସାର ।
ଦୁର୍ଲଭ ନର କଳେବର ॥
ଧନ କାର୍ପଣ୍ୟ ସେବା ବଳେ ।
କି’ବା ଅସାଧ୍ୟ ମହିତଳେ ॥

“ସେ ଗୋପନାରୀଙ୍କ ପୟର
ମନ ମୋ ନିରନ୍ତର ରହୁ ।
ମନ ମୋ ନିରନ୍ତରେ ରହୁ
ହା କୃଷ୍ଣ ବୋଲି ଜୀବ ଯାଉ ॥”

ଏ ସବୁ ଶ୍ଳୋକ ଆମ ମନକୁ ଉତ୍ତମ ପ୍ରେରଣା ଯୋଗଇବା ସହିତ ଭବିଷ୍ୟତ ପିଢ଼ିକୁ ଉପଦେଶ ଛଳରେ ଉପଯୁକ୍ତ ଶିକ୍ଷା ପ୍ରଦାନ କରିଛି । ସେଥିପାଇଁ ଏହା ଥିଲା ଉତ୍କଳୀୟ ଗ୍ରାମୀଣ ଜୀବନର ଏକ ଅଭିନ୍ନ ପରମ୍ପରା । ସେତେବେଳେ ଓଡ଼ିଶାରେ ଭକ୍ତିଯୁଗର ଅୟମାରମ୍ଭ ହୋଇଥିଲା କହିଲେ ଆତୁକ୍ତି ହେବନାହିଁ । ହେଲେ ଆଜି ମଣିଷ ମଣିଷ ଭିତରେ ଦ୍ଵନ୍ଦର ପାଚେରୀ ଉଠୁଛି, ସଂସାର ଉଜୁଡି ଯାଉଛି । ତେଣୁ ଆମର ଉଦେଶ୍ୟ ଭାଗବତର ଚର୍ଚ୍ଚା ମାଧ୍ୟମରେ ସାମାଜିକ ବିଦ୍ୱେଷ ଦୂର କରି ସମାଜରେ ସଂହତି, ସମନ୍ୱୟ, ଆଧ୍ୟାତ୍ମିକ ଜାଗରଣ ଓ ଭାବ ପ୍ରତିଷ୍ଠା କରିବା । ଆସନ୍ତୁ ଶୁଣିବା ଭାଗବତ ର କିଛି ମୁଖ୍ୟ ଶ୍ଳୋକ:

। ଓଁ ନମୋ ଭଗବତେ ବାସୁଦେବାୟ ।

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ। ପଦୁ ଗଳୁଛି ମକରନ୍ଦ॥
ସେ ମକରନ୍ଦ ପାନ କରି। ଏଣେ ତରିଲେ ବ୍ରଜ ନାରୀ॥
ସେ ବ୍ରଜ ନାରୀଙ୍କ ପୟରେ। ମନ ମୋ ରହୁ ନିରନ୍ତରେ॥
ମନ ମୋ ନିରନ୍ତରେ ଥାଉ। ହା କୃଷ୍ଣ ବୋଲି ଜୀବ ଯାଉ॥
ହା କୃଷ୍ଣ ବୋଲି ଯାଉ ଜୀବ। ମୋତେ ଉଦ୍ଧର ବାସୁଦେବ॥

ଭାଗବତ ସାର- Video

ଭାଗବତ-ସାର – Audio

Credit the Video : Sri Purushottam by Rabindra Mohapatra YouTube Channel

ଭାଗବତ ସାର- Video

Credit the Video : Sri Purushottam by Siba Prasad Dash YouTube Channel

ପ୍ରଥମ ଅଧ୍ୟାୟ

। ଶ୍ରୀ ଗଣେଶାୟ ନମଃ ।

ନମଇଁ ନୃସିଂହ ଚରଣ । ଅନାଦି ପରମକାରଣ ॥୧
ଯା ବିନୁ ଆଦି ମଧ୍ୟ ଅନ୍ତ । ବିଚାରେ ନ ଘଟେ ଜଗତ ॥୨
ଇନ୍ଦ୍ରିୟ ଅର୍ଥ ଯେ ଜାଣଇ । ସ୍ୱତେଜେ ନିତ୍ୟ ପ୍ରକାଶଇ ॥୩
ଆନନ୍ଦମନେ ବେଦସାର । ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର ॥୪
ଯାର ସ୍ୱରୂପ ହୃଦେ ଚିନ୍ତି । ବେଦପୁରୁଷେ ନ ଜାଣନ୍ତି ॥୫
ମୃତ୍ତିକା ବିକାର ଯେମନ୍ତ । ଜଳରେ ହୁଅଇ କଳ୍ପିତ ॥୬
ଜଳେ ଉପଳ ବୁଦ୍ଧି କରି । ମୃଗତୃଷ୍ଣାରେ ଯେହ୍ନେ ବାରି ॥୭
ରୂପ ଅରୂପ ସ୍ଥିତି ତିନି । ଯାର ଗୋଚରେ ଅନୁମାନି ॥୮
ସ୍ୱଭାବେ ନୋହେ ସେ ଏମନ୍ତ । ଏ ସାଂଖ୍ୟଯୋଗୀଙ୍କର ମତ ॥୯
ଆତ୍ମ ପ୍ରକାଶେ ସଦା ଥାଇ । ନିରସ୍ତ କୁହକ ବୋଲାଇ ॥୧୦
ସତ୍ୟପରମାନନ୍ଦ ହରି । ଯାହାର ଭାବେ ଭବୁ ତରି ॥୧୧
ଏମନ୍ତେ ସତ୍ୟ ରୂପ ଯାର । ତା ପାଦେ ମୋର ନମସ୍କାର ॥୧୨
ତାର ଚରଣେ ନିତ୍ୟେ ଧ୍ୟାନ । କରି ତରନ୍ତି ସର୍ବଜନ ॥୧୩
ସେ କୃଷ୍ଣପାଦ ହୃଦେ ଧରି । ପ୍ରବନ୍ଧେ ଗୀତନାଦ କରି ॥୧୪
ଅଶେଷ ଜଗତର ହିତେ । ବର୍ଣ୍ଣଇ ଦାସ ଜଗନ୍ନାଥେ ॥୧୫
ନିର୍ମଳ ମୁନିଙ୍କର ମତେ । ହରି-ଚରିତ ଭାଗବତେ ॥୧୬
କହିବି ଅଛି ଯେତେ ଗୁଣ । ସୁଜନେ ସାବଧାନେ ଶୁଣ ॥୧୭
ନାହିଁ ତାହାଙ୍କ ଅହଙ୍କାର । ସହିଷ୍ଣୁ ଭୂତେ ଦୟାପର ॥୧୮
କପଟ ଧର୍ମ ଯାର ନାହିଁ । ସ୍ୱଭାବେ ଶାସ୍ତ୍ର ସେ ବୋଲାଇ ॥୧୯
ସେ ସାଧୁଜନଙ୍କର ଧର୍ମ । ମାୟାବର୍ଜିତ ଶୁଦ୍ଧକର୍ମ ॥୨୦
ତାଙ୍କ ବିଚାରେ ଧର୍ମ ଯେତେ । ଶୁଣ କହିବା ଦୃଢ଼ଚିତ୍ତେ ॥୨୧
ଲକ୍ଷ୍ୟ ଅଲକ୍ଷ୍ୟ ଯେତେ ପ୍ରାଣୀ । ବୋଧ ବିଚାରେ ପରିମାଣି ॥୨୨
ସେ ଧର୍ମ ଯହିଁ ଅନୁମାନି । ଏଣେ ସଂସାରେ ଯେତେ ଜ୍ଞାନୀ ॥୨୩
ସେ ବସ୍ତୁ ଅଛି ଯହିଁ ପୂରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥୨୪
ଶ୍ରବଣ ମାତ୍ରେ ମୋକ୍ଷ ପାଇ । ତାପତ୍ରିତପ କ୍ଷୟ ଯାଇ ॥୨୫
ହୃଦୟେ ବସଇ ତକ୍ଷଣ । ଅନାଦି ପ୍ରଭୁ ନାରାୟଣ ॥୨୬
ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ । କି ପ୍ରୟୋଜନ ଏ ଜଗତେ ॥୨୭
ଏଣୁ ଏ ଭାଗବତ ଯେହି । ଶ୍ରବଣମାତ୍ରେ ଭକ୍ତି ହୋଇ ॥୨୮
ଏ ଭାଗବତର ମହିମା । କେ ଚିନ୍ତି ପାରେ ଗୁଣସୀମା ॥୨୯
ସକଳ ଶାସ୍ତ୍ରଫଳ ଏହି । ଶ୍ରୀଭାଗବତ ନାମ ଯେହି ॥୩୦
ସକଳ ବେଦ ହୋଇ ବୃକ୍ଷେ । ଫଳ ଫଳିଲେ ଅନ୍ତରୀକ୍ଷେ ॥୩୧
କେତେହେଁ ଦିନେ ପାଚି ତଳେ । ବୃକ୍ଷୁ ପଡ଼ିଲେ ବାୟୁବଳେ ॥୩୨
ଶୁକ ଧାଇଁଲେ ତାହା ଦେଖି । ପକ୍ଷୀଙ୍କ ସଙ୍ଗତ ଉପେକ୍ଷି ॥୩୩
ତୋଷେ ଅଧର କ୍ଷତ କଲା । ଭିତରେ ସୁରଙ୍ଗ ଦିଶିଲା ॥୩୪
ତହୁଁ ଗଳିଲା ରସସାର । କି ଅବା ଦେବା ପଟାନ୍ତର ॥୩୫
ଅମୃତ ନିନ୍ଦେ ସ୍ୱାଦୁ ପଣେ । ସୁଜନେ ପିବ ଅନୁକ୍ଷଣେ ॥୩୬
ଆନନ୍ଦେ କର ସୁଧାପାନ । ଯେଣେ ପାଇବ ଦିବ୍ୟଜ୍ଞାନ ॥୩୭
ଏ ଚାରିବେଦଙ୍କର ମୂଳ । ନିଗମବୃକ୍ଷର ଏ ଫଳ ॥୩୮
ପିବ ଜୀବନ ଅନ୍ତଯାଏ । ଯେବେ ବଞ୍ଚିବ ମାୟାମୋହେ ॥୩୯
ଏବେ ହୋ ଶୁଣ ସାଧୁଜନେ । ହରିଚରିତ ଶୁଦ୍ଧମନେ ॥୪୦
ସର୍ବଦେବଙ୍କ ରମ୍ୟସ୍ଥାନ । ନାମ ଯେ ନୈମିଷଅରଣ୍ୟ ॥୪୧
କଳିର ଆଗମନ ଦେଖି । ମୁନିଏ ସ୍ଥାନ ଉପଲକ୍ଷି ॥୪୨
ଶୌନକ ଆଦି ମୁନିଗଣେ । ମିଳିଲେ ନୈମିଷଅରଣ୍ୟେ ॥୪୩
କଳି-କଳୁଷ ଭୟ କରି । ମୁନିଏ ଏକାନ୍ତେ ବିଚାରି ॥୪୪
ସଂକଳ୍ପ କରି ଏତ ତୁଲେ । ସହସ୍ର-ଯଜ୍ଞ ଆରମ୍ଭିଲେ ॥୪୫
ଜାଣନ୍ତି ଶୁଭପ୍ରଦ ବାଞ୍ଛା । ସ୍ୱର୍ଗାଦିଲୋକେ କଲେ ଇଚ୍ଛା ॥୪୬
ସକଳେ ମିଳି ପ୍ରାତଃକାଳେ । କର୍ମ ସମ୍ପାଦିଲେ ଅନଳେ ॥୪୭
ସୂତମୁନିଙ୍କି ପୂଜା କରି । ବସିଲେ ସକଳେ ଆବୋରି ॥୪୮
ସକଳମୁନି ଶୁଦ୍ଧମନେ । ପୁଚ୍ଛିଲେ ଅମୃତ-ବଚନେ ॥୪୯

। ଋଷିଗଣ ଉବାଚ ।

ହେ ସୂତ ଶୁଣ ସାବଧାନେ । ତୁମ୍ଭ ମହିମା ଅନୁମାନେ ॥୫୦
ସର୍ବ-ପୁରାଣ ଇତିହାସ । ଶୁଣିଲୁ ତୁମ୍ଭର ସକାଶ ॥୫୧
ସଂସାରେ ଧର୍ମଶାସ୍ତ୍ର ଯେତେ । ସର୍ବ ଗୋଚର ତୁମ୍ଭମତେ ॥୫୨
ବେଦବିଦଙ୍କ ମଧ୍ୟେ ଶ୍ରେଷ୍ଠ । ଯେ ବ୍ୟାସମୁନି ତପୋନିଷ୍ଠ ॥୫୩
ତାହାଙ୍କ ଶିଷ୍ୟ ଅଟ ତୁମ୍ଭେ । ଏ କଥା ଭଲେ ଜାଣୁ ଆମ୍ଭେ ॥୫୪
ପୂର୍ବେ ଯେ ଥିଲେ ବ୍ରହ୍ମମୁନି । ତାଙ୍କ ବଚନ ତୁମ୍ଭେ ଶୁଣି ॥୫୫
ସକଳ ଶାସ୍ତ୍ର ତୁମ୍ଭ ତହିଁ । ବେଦପୁରାଣେ ଯେତେ କହି ॥୫୬
ବ୍ୟାସଙ୍କ ଅନୁଗ୍ରହ ଘେନି । ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ ॥୫୭
ଦଇବେ ଅଛି ଏହି ମତ । ଯେ ଶିଷ୍ୟ ଗୁରୁରେ ଭକତ ॥୫୮
ଶିଷ୍ୟ ଭକ୍ତିରେ ଦୟା ବହେ । ସକଳ ଗୂଢ଼ତତ୍ତ୍ୱ କହେ ॥୫୯
ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ । ପ୍ରକାଶ ଆମ୍ଭର ଅଗ୍ରତେ ॥୬୦
ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ । ଏ ଜୀବ ତରିବ ଯେମନ୍ତେ ॥୬୧
ଯେଣେ ତୁଟଇ ବିଷ୍ଣୁ ମାୟା । କହ ଆମ୍ଭଙ୍କୁ ଯେବେ ଦୟା ॥୬୨
ଏ କଳିଯୁଗେ ଯେତେ ପ୍ରାଣୀ । ଅଳ୍ପ ଆୟୁଷ ପରିମାଣି ॥୬୩
ସ୍ୱଭାବେ ମନ୍ଦମତି ହୋନ୍ତି । ପ୍ରାଣୀଙ୍କ ଉପଦ୍ରବ ଚିନ୍ତି ॥୬୪
ଯୁଗ ବେଭାରେ ପରିମାଣି । ସକଳ ଧର୍ମ ତୁମ୍ଭେ ଜାଣି ॥୬୫
ଏ ପ୍ରଶ୍ନ ଶୁଭ ଆମ୍ଭମତେ । ସାର ଉଦ୍ଧାରି ଦୃଢ଼ଚିତ୍ତେ ॥୬୬
କହ ସଂସାରେ ପ୍ରାଣୀଙ୍କର । ଯେମନ୍ତେ ମାୟାରୁ ନିସ୍ତାର ॥୬୭
ଯେଣେ ପ୍ରସନ୍ନ ହୋଇ ହରି । ଏ ଜୀବ ଆତ୍ମାକୁ ଉଦ୍ଧାରି ॥୬୮
କର ଏ ମାୟାରୁ ନିସ୍ତାର । ଏ ଜୀବମାନଙ୍କୁ ଉଦ୍ଧାର ॥୬୯
ତୁମ୍ଭ ପ୍ରସନ୍ନେ ଯୋଗବଳେ । ପ୍ରକାଶ କର ମହୀତଳେ ॥୭୦
କି ପ୍ରୟୋଜନ ଜଗନ୍ନାଥ । ଦେବକୀ ଉଦରେ ସମ୍ଭୂତ ॥୭୧
ସେ ହେତୁ କହ ଶୁଦ୍ଧଚିତ୍ତେ । ଆମ୍ଭେ ପଚାରୁ ଜନହିତେ ॥୭୨
ସଂସାରେ ଯାର ଅବତାର । ପ୍ରାଣୀ-ମଙ୍ଗଳ-ବୃଦ୍ଧିକର ॥୭୩
ଜଗତ ପାର ସେ ଚରିତ । ତୁମ୍ଭେ ତା ବର୍ଣ୍ଣନେ ସମର୍ଥ ॥୭୪
ଘୋର-ସଂସାରେ ପ୍ରାଣୀ ପଡ଼ି । ଆତ୍ମା-ନିସ୍ତାର-ପଥ ହୁଡ଼ି ॥୭୫
ଯାହାର ନାମ ଉଚ୍ଚାରିଲେ । ସଙ୍କଟୁ ତରିଯାନ୍ତି ଭଲେ ॥୭୬
ଯେ ଭୟ ଜୀବ ତେଜ ହରେ । ସେ ହରି ନାମ ଶୁଣି ଡରେ ॥୭୭
ଯାର ଚରଣେ ଆଶ୍ରେ କରି । ପବିତ୍ର ହୋନ୍ତି ବ୍ରହ୍ମଚାରୀ ॥୭୮
ଶୁଦ୍ଧ କରନ୍ତି ସର୍ବଜନେ । ଗଙ୍ଗା ଯେସନେ ସ୍ନାନପାନେ ॥୭୯
ଯାହାର ଯଶ ପୁଣ୍ୟଶ୍ଳୋକେ । ସୁଖେ ଗୁଣନ୍ତି ଜ୍ଞାନୀଲୋକେ ॥୮୦
କଳିକଳୁଷ ନ ଲାଗଇ । କେବା ନ ତରେ ଏହା ଗାଇ ॥୮୧
ଯା ଯଶ ଗାଇ ମୁନିଗଣେ । ସୁଖେ ତରନ୍ତି ଭବବଣେ ॥୮୨
ଯେ ହରି ବ୍ରହ୍ମାଣ୍ଡ ଭିତରେ । ଲୀଳା ସରାଗେ ଅବତରେ ॥୮୩
ବିଶ୍ୱ-ଉତ୍ପତ୍ତି-ସ୍ଥିତି-ନାଶ । କି ରୂପେ କର ତା ପ୍ରକାଶ ॥୮୪
ମତ୍ସ୍ୟାଦି ଅବତାରମାନ । ଧରିଣ ପ୍ରଭୁ ଭଗବାନ ॥୮୫
ଆତ୍ମାର ଯୋଗମାୟା ବଳେ । ବିହରେ ଅବନୀ-ମଣ୍ତଳେ ॥୮୬
ସେ ହରି ସ୍ୱଚ୍ଛ ଶୁଭ କଥା । କହ ହେ ସୂତ ଧର୍ମଜ୍ଞାତା ॥୮୭
ତାର ମହିମା ଶୁଣି ନିତ୍ୟେ । ତୋଷ ନଲଭୁ ଆମ୍ଭଚିତ୍ତେ ॥୮୮
ଜିହ୍ୱା ଯେସନ ସୁଧାରସ । ପିବନ୍ତେ ନୁହଇ ସନ୍ତୋଷ ॥୮୯
ଅନନ୍ତ ସଙ୍ଗେ ଥାଇ ହରି । ଜଗତେ ଯେତେ କର୍ମ କରି ॥୯୦
କପଟେ ନରରୂପ ଧରି । ଅତିମାନୁଷ କର୍ମ କରି ॥୯୧
କଳି ଆଗମ ଆମ୍ଭେ ଦେଖି । ସକଳ ସମ୍ପଦ ଉପେକ୍ଷି ॥୯୨
ଏ ପୁଣ୍ୟକ୍ଷେତ୍ରେ ଶୁଭକ୍ଷଣେ । କୃଷ୍ଣର କଥା ଅନୁକ୍ଷଣେ ॥୯୩
କରି ତରିବୁ ବିଷ୍ଣୁ ମାୟା । ଭୋ ମୁନି ତୁମ୍ଭେ କର ଦୟା ॥୯୪
ଆମ୍ଭର ପୂର୍ବ ପୁଣ୍ୟଫଳେ । ସଙ୍ଗ ହୋଇଲୁ ତୁମ୍ଭ ମେଳେ ॥୯୫
ଏ ଭୟଙ୍କର କଳିକାଳେ । ଆମ୍ଭେ ଯେ ଅଛୁ ଭବଜଳେ ॥୯୬
ଏ ଜଳୁ ତୁମ୍ଭେ କର ପାର । ବୋଇତେ ଯେହ୍ନେ କର୍ଣ୍ଣଧାର ॥୯୭
ଯେ ହରି ବ୍ରହ୍ମାଣ୍ଡ-ବକ୍ଷଳ । ସର୍ବଦେବଙ୍କ ଆଦିମୂଳ ॥୯୮
ଧର୍ମ-କବଚ ଯାର ଅଙ୍ଗେ । ସୁଖେ ବିହରେ ନାନାରଙ୍ଗେ ॥୯୯
କଳି ଆଗମେ ଭଗବାନ । ଗମିଲେ ଆପଣା ଭୁବନ ॥୧୦୦
ଯେ ଧର୍ମ ସଂସାର ରଖିବ । ସେ କାହିଁ ଶରଣ ପଶିବ ॥୧୦୧
ଏ କଥା କହ ମୁନିବର । ଆମ୍ଭ ସଂଶୟ ଯାଉ ଦୂର ॥୧୦୨
ଏମନ୍ତେ ନଇମିଷ ବନେ । ସର୍ବମୁନିଙ୍କ ସନ୍ନିଧାନେ ॥୧୦୩
ଶୌନକ ଆଦି ମୁନିଗଣେ । ଯେ ପ୍ରଶ୍ନ କଲେ ଜଣେ ଜଣେ ॥୧୦୪
ନିର୍ମଳ ବିଷ୍ଣୁର ଚରିତ । କୃଷ୍ଣ-ବିଷୟ ଭାଗବତ ॥୧୦୫
ସୁଜନଜନଙ୍କର ହିତେ । କହଇ ଦାସ ଜଗନ୍ନାଥେ ॥୧୦୬
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ପ୍ରଥମୋଽଧ୍ୟାୟଃ ॥

***

Related posts

Bhagabat Katha | ଭାଗବତ କଥା

bbkbbsr24